Unknown

 

 

 

 

 

 

 

 

 

 

ବିଦେଶରେ ପିଲାଙ୍କ ଶିକ୍ଷା

ଶ୍ରୀ ଚିତ୍ତରଞ୍ଜନ ଦାସ

 

ବିଦେଶ କହିଲେ ମୋ’ର ଅଭିଜ୍ଞତା ଇଉରୋପର ତିନୋଟି ଦେଶ–ଡେନ୍‍ମାର୍କ, ଫିନ୍‍ଲାଣ୍ତ୍‍ ଓ ପଶ୍ଚିମ ଜର୍ମାନୀରେ ସୀମାବଦ୍ଧ । ତେଣୁ ବିଦେଶରେ ପିଲାଙ୍କର ଶିକ୍ଷା ବିଷୟରେ ମୁଁ ଏହି ସାନ ପ୍ରବନ୍ଧରେ ଯାହା କହିବି, ଉକ୍ତ ତିନୋଟି ଦେଶରେ ଅର୍ଜ୍ଜନ କରିଥିବା ଅଭିଜ୍ଞତାରୁ ହିଁ ତାହା କହିବି । ମୋର କହିବା କଥାଗୁଡ଼ିକ ହୁଏତ ଯୂରୋପର ସକଳ ଦେଶ ବିଷୟରେ ଆଦୌ ପ୍ରଯୁଜ୍ୟ ହୋଇ ପାରିବ ନାହିଁ ।

 

ସଭ୍ୟ ସଚେତ ବିଦେଶରେ ପିଲାଙ୍କ ଶିକ୍ଷାର ସର୍ବପ୍ରଧାନ କଥା ହେଉ ଯେ, ସେଠି ଦେଶର ସବୁ ପିଲା ପାଠ ପଢ଼ିବେ । ଆମ ଦେଶପରି କେବଳ ଯେଉଁମାନଙ୍କ ଘରେ ସମ୍ବଳ ଅଛି, ସେହିମାନେ ପଢ଼ିବେ । ଓ ଅନ୍ୟମାନେ କର୍ମ ଆଦରି ଭାଗ୍ୟକୁ ମାନି ରହିବେ, ଇଉରୋପରେ ସେହିପରି ହୁଏନାହିଁ ।

 

ଆଗେ, ଅର୍ଥାତ୍ ପ୍ରାୟ ଶହେବର୍ଷ ତଳେ ହେଉଥିଲା, ମାତ୍ର ବର୍ତ୍ତମାନ ସେପରି ହୁଏନାହିଁ-। ସେଠାରେ ଦେଶର ସବୁ ପିଲାଙ୍କୁ-ପୁଅ ଓ ଝିଅ ଉଭୟଙ୍କୁ–ଆଠବର୍ଷର ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ ଭାବରେ ଦିଆଯିବ । ଅର୍ଥାତ୍ ଚଉଦବର୍ଷ ପୂରିବା ପର୍ଯ୍ୟନ୍ତ ଦେଶର ସବୁପିଲା ସ୍କୁଲରେ ପାଠ ପଢ଼ିବାକୁ ଯିବେ । ପିଲା କାଖେଇବାକୁ, ଗୋବର ଗୋଟାଇ ଯିବାକୁ କିମ୍ବା ଗାଈ ଜଗିବାକୁ ସେମାନେ କଦାପି ଘରେ ରହିବେନାହିଁ । କେଉଁଠି ଏପରି ଘଟିଲେ ସଂପୃକ୍ତ ପିଲାଙ୍କର ପିତାମାତା ଆଇନ୍ ଅନୁସାରେ ଦଣ୍ତନୀୟ ହେବେ । ଏବେ କୌଣସି କୌଣସି ଦେଶରେ ଏହି ବାଧ୍ୟତାମୂଳକ ଶିକ୍ଷାକାଳକୁ ବଢ଼ାଇ ନଅବର୍ଷ କରାଗଲାଣି, ପୁଣି ଆଉ କେଉଁଠାରେ ଦଶବର୍ଷ କରାଯିବାର ଚେଷ୍ଟା ବି କରାଯାଉଛି ।

 

ଡେନ୍‍ମାର୍କ ଓ ଫିନ୍‍ଲାଣ୍ଡରେ ପ୍ରାଥମିକ ସ୍ତରରେ ଦେଶର ସବୁ ପିଲାଏ ଗୋଟାଏ ପ୍ରକାର ସ୍କୁଲରେ ପାଠ ପଢ଼ିବେ । ଆମ ଦେଶରେ ଗାଆଁପିଲାଙ୍କ ପାଇଁ ଗାଆଁ ପାଠଶାଳା ଅଛି, ଆଦିବାସୀ ପିଲାଙ୍କ ସକାଶେ ଆଶ୍ରମ ସ୍କୁଲ ଅଛି; କେଉଁଠି ମୌଳିକ ସ୍କୁଲ ଅଛି ତ ପୁଣି କେଉଁଠି ସୈନିକ ସ୍କୁଲ ଅଛି । ଭାଗ୍ୟବନ୍ତ ବଡ଼ଲୋକମାନଙ୍କର ପିଲାଙ୍କ ଲାଗି ତଥାକଥିତ ପବ୍ଲିକ୍ ସ୍କୁଲମାନ ରହିଛି । ଏହାଦ୍ୱାରା ପିଲାଙ୍କର ବିକାଶମାର୍ଗ ଏବଂ ବିକାଶ-ପରିସରକୁ ପିଲାଦିନୁଁ ନିୟନ୍ତ୍ରିତ କରି ରଖାଯାଉଛି-। ଇଂଲଣ୍ତରେ ପୂର୍ବେ ପ୍ରଚଳିତ ଏକ ପୁରୁଣା ଛାଞ୍ଚ ଅନୁସାରେ ଆମେ ଆମ ସ୍ୱାଧୀନ ଦେଶରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କୁପ୍ରଥାକୁ ଚଳାଇ ଆସୁଛୁ । କିନ୍ତୁ ଉଲ୍ଲିଖିତ ଦୁଇଟି ଦେଶରେ ଦେଶର ସବୁ ପିଲା ଏକପ୍ରକାର ପ୍ରାଥମିକ ଶିକ୍ଷା ଲାଭ କରିବାର ସୁଯୋଗ ପାଆନ୍ତି । ଅର୍ଥାତ୍, ଚଉଦବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତେ ଗୋଟାଏ ପ୍ରକାର ପାଠ ପଢ଼ନ୍ତି ନିଜ ପ୍ରତିଭାର ପରିଚୟ ଦେବାଲାଗି ସମାନ କ୍ଷେତ୍ର ଓ ସମାନ ସୁଯୋଗ ପାଆନ୍ତି । ମୋ’ର ମନେ ଅଛି, ମୁଁ ଡେନ୍‍ମାର୍କର କୌଣସି ପ୍ରାଥମିକ ସ୍କୁଲରେ ସେହି ଦେଶର ରାଜାଙ୍କ ଝିଅକୁ ମଧ୍ୟ ପଢ଼ିବାର ଦେଖିଥିଲି । ମନେ ରଖନ୍ତୁ, ଆଉ କେତେବର୍ଷ ପରେ ନିଜ ବାପାଙ୍କ ଅନ୍ତେ ସେହି ଝିଅ ଡେନ୍‍ମାର୍କର ରାଣୀ ହୋଇ ସିଂହାସନରେ ବସିବ । ଜାତୀୟ ଏକତା ଓ ଜାତୀୟ ସଂହତିଲାଗି ଦେଶର ସବୁ ପିଲାଙ୍କୁ ଗୋଟିଏ ପ୍ରକାରର ଶିକ୍ଷା ଦିଆଯିବା ଉଚିତ । ଡେନ୍‍ମାର୍କର ଶିକ୍ଷା ପଦ୍ଧତିକୁ ଦେଖିଲେ ତାହାର ସ୍ପଷ୍ଟ ପ୍ରମାଣ ମିଳିଯାଏ ।

 

ଆଗରୁ କହିଛି, ବିଦେଶରେ ପ୍ରାଥମିକ ଶିକ୍ଷା କହିଲେ ପ୍ରଥମ ଆଠବର୍ଷର ଶିକ୍ଷାକୁ ବୁଝାଏ-। ସହରରେ ଥିବା ଏହି ସ୍କୁଲମାନଙ୍କରେ ଅବଶ୍ୟ ବହୁସଂଖ୍ୟକ ପିଲା ପଢ଼ନ୍ତି । କିନ୍ତୁ ଗାଆଁର ସ୍କୁଲମାନଙ୍କୁ ସାଧାରଣତଃ ଛୋଟ ଛୋଟ ସ୍କୁଲ ବୋଲି ସୁହାଯାଇ ପାରିବ । ଆଠଗୋଟି ଶ୍ରେଣୀକୁ ପାଠ ପଢ଼ାଇବାଲାଗି ସାଧାରଣତଃ ଚାରି ପାଞ୍ଚଜଣ ଶିକ୍ଷକ ରହିଲେ ସେଠାରେ କାମ ଚଳିଯାଏ । ୧୯୫୩ ମସିହାରେ ପଶ୍ଚିମ ଜର୍ମାନୀର ଗୋଟିଏ ଅତି ସାନ ଗାଆଁରେ ମୁଁ ଏପରି ପ୍ରାଥମିକ ସ୍କୁଲ ଦେଖିଛି, ଯେଉଁଠାରେ କି ଆଠୋଟିଯାକ ଶ୍ରେଣୀରେ ସର୍ବମୋଟ ଏଗାରଜଣ ପିଲା ପାଠ ପଢ଼ୁଥିଲେ । ଗୋଟିଏ ବଖରାରେ ଏହି ଆଠୋଟିଯାକ ଶ୍ରେଣୀର ପିଲାମାନେ ବସୁଥିଲେ ଓ କେବଳ ଜଣେ ଶିକ୍ଷକଙ୍କ ଉପରେ ଏମାନଙ୍କ ପାଠ ପଢ଼ିଇବାର ଦାୟିତ୍ୱ ନ୍ୟସ୍ତ ହୋଇ ରହିଥିଲା । ୧୯୬୩ ମସିହାରେ ଜର୍ମାନୀର ଆଉଏକ ଗାଆଁରେ ଆଉ ଗୋଟିଏ ସ୍କୁଲ ଦେଖି ଅବସ୍ଥା ବିଶେଷ ବଦଳିଛି ବୋଲି ମୋର ମନେ ହେଲାନାହିଁ । ସେହି ସ୍କୁଲରେ ଦୁଇବଖରା ଘର ଥିଲା, ଦୁଇଜଣ ଶିକ୍ଷକ ଥିଲେ ଓ ଆଠୋଟି ଶ୍ରେଣୀରେ ପିଲାଙ୍କର ସଂଖ୍ୟା ପଚାଶରୁ ଊର୍ଦ୍ଧ୍ୱ ହୋଇ ରହିଥିଲା ।

 

ବିଦେଶର ସ୍କୁଲ ମାନଙ୍କରେ ପ୍ରାଥମିକ ସ୍ତରରେ ପୁଅ ଓ ଝିଅ ଏକାଠି ପାଠ ପଢ଼ନ୍ତି । ଆମ ଦେଶ ପରି ସେଠାରେ ପୁଅକୁ ଝିଅଠାରୁ ଅଧିକ ଗେଲବସର କରାଯାଏ ନାହିଁ ବା ଝିଅକୁ ପୁଅଠାରୁ ଅଧିକ ଦାୟିତ୍ୱହୀନ ଭାବରେ ସମାଜରେ ପ୍ରବେଶ କରିବାକୁ ଦିଆଯାଏ ନାହିଁ । ସେଠାରେ ପିଲାମାନଙ୍କର ସ୍କୁଲ ସକାଳ ଆଠଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ବସେ । ଖରାବେଳେ ଖାଇବାଲାଗି ପିଲାମାନେ ବହିମୁଣା ଭିତରେ କିଛି ଖାଇବା ଜିନିଷ ବାନ୍ଧିକରି ଆଣିଥାନ୍ତି । ଶୀତଦିନେ ପ୍ରବଳ ତୁଷାରପାତ ସମୟରେ ମଧ୍ୟ ପିଲାଏ ଭୋର ଆଠଟା ବେଳର ଅନ୍ଧାର ପହରରେ ଇସ୍କୁଲରେ ଆସି ପହଞ୍ଚନ୍ତି । ପାଖ ପିଲାମାନେ ଚାଲିକରି ଆସନ୍ତି, ଦୂର ବାଟର ପିଲାମାନେ ସାଇକେଲ୍‍ରେ ଆସନ୍ତି । ଶୀତଦିନେ ସକାଳେ ସବୁରି ଘରେ ଏହି ପାଠପଢ଼ୁଆ ପିଲାମାନଙ୍କର ନିଦ ସବାଆଗ ଭାଙ୍ଗେ । ଏମାନଙ୍କର ସବୁଠାରୁ ଲମ୍ବା ଛୁଟି ଖରାଦିନରେ ହୁଏ । ତା’ପରେ ବଡ଼ଦିନ ପର୍ବରେ ଛୁଟି । ଆମଦେଶର ସ୍କୁଲମାନଙ୍କରେ ଯେପରି ବହୁସଂଖ୍ୟକ ଦିନିକିଆ ଛୁଟିରଖି ସ୍କୁଲର ଧାରାବାହିକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରାଯାଏ, ବିଦେଶରେ ସେପରି ହୁଏନାହିଁ ।

 

ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷକତା କରିବାକୁ ହେଲେ ସେସବୁ ଦେଶରେ ସ୍ୱତନ୍ତ୍ର ତାଲିମ ନେବାକୁ ହୁଏ । ଡେନ୍‍ମାର୍କରେ ଏହି ତାଲିମ ମାଟ୍ରିକ୍ ପାସ୍ କରିବାପରେ ଚାରିବର୍ଷଲାଗି ଦିଆଯାଏ । ସେହି ଦେଶର ମାଟ୍ରିକ୍ ପାସ୍ ଓ ଆମ ଦେଶରେ ମାଟ୍ରିକ୍ ପାସ୍ ଭିତରେ ଅନେକ ତଫାତ୍ ରହିଛି । ଆମ ଦେଶରେ ପନ୍ଦର ଷୋଳ ବରଷରେ ମାଟ୍ରିକ୍ ପାସ୍ କରିବା ସମ୍ଭବ ହୋଇପାରୁଛି । ଟିଉସନ୍ ମାଷ୍ଟରଙ୍କଠାରୁ ସ୍ୱତନ୍ତ୍ର ପାଠପଢ଼ିବାର ଟନିକ୍‍ପିଇ ଆମ ଦେଶରେ ଭଲ ଘରର ପିଲାଏ ଅନେକ ସମୟରେ ପନ୍ଦରବର୍ଷ ପୂରିବା ଆଗରୁ ମଧ୍ୟ ମାଟ୍ରିକ୍ ପାସ୍ କରି ଯାଉଛନ୍ତି । କିନ୍ତୁ ଡେନ୍‍ମାର୍କରେ ଊଣେଇଶି ବର୍ଷ ହେବା ପୂର୍ବରୁ ମୁଁ କାହାରିକୁ ମାଟ୍ରିକ୍ ପାସ୍ କରିବାର ଦେଖିନାହିଁ । ଅର୍ଥାତ୍, ଆମ ଦେଶରେ ମାଟ୍ରିକ୍ ପାସ୍ ବୋଲାଇବାକୁ ଯେତେ ପାଠ ପଢ଼ିବାକୁ ପଡ଼େ, ବିଦେଶରେ ତାହାଠାରୁ ଅନେକ ଅଧିକ ପଢ଼ିବାକୁ ପଡ଼େ । ମାଟ୍ରିକ୍ ପାସ୍ କରି ଆହୁରି ଚାରିବର୍ଷ ଏକ ତାଲିମକେନ୍ଦ୍ର ବା ସେମିନାରିରେ ପଢ଼ିସାରିବା ପରେ ଯାଇ ସେଠାରେ ପ୍ରାଥମିକ ସ୍କୁଲରେ ଶିକ୍ଷକ ହେବାକୁ ଅନୁମତି ମିଳେ ।
 

ସେସବୁ ଦେଶରେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଶିକ୍ଷକମାନଙ୍କ ମାସିକ ବେତନ ବିଷୟରେ ଆମ ଦେଶର ଶିକ୍ଷକମାନେ କୌତୂହଳ ପ୍ରକାଶ କରିବା ସ୍ୱାଭାବିକ । ଜର୍ମାନୀରେ ଜଣେ ପ୍ରାଥମିକ ଶିକ୍ଷକର ବେତନ ମାସିକ ପ୍ରାୟ ଛଅଶହ ଟଙ୍କାରୁ ଆରମ୍ଭ ହୁଏ । କାର୍ଯ୍ୟକାଳ ଶେଷ ହେବା ବେଳକୁ ଜଣେ ଶିକ୍ଷକ ସେଠି ମାସକୁ ପ୍ରାୟ ବାରଶହ ଟଙ୍କା ବେତନ ପାଏ । ଗାଆଁ ସ୍କୁଲର ପ୍ରାଥମିକ ଶିକ୍ଷକ ଗାଆଁର କେବଳ ଏକ ଅସରଣିଆ ସେବାକାରୀ ନୁହେଁ କିମ୍ବା ସରକାରୀ ଶିକ୍ଷାବିଭାଗର ଏକ ମେରୁଦଣ୍ତହୀନ ଆଜ୍ଞାବହମାତ୍ର ବି ନୁହେଁ; ସେହି ଦେଶରେ ଲୋକେ ସେହିକଥା ହୃଦୟଙ୍ଗମ କରିଥିବା ପରି ବୋଧହୁଏ । ଶିକ୍ଷକର ବ୍ୟକ୍ତିତ୍ୱ ଉପରେ ହିଁ ପିଲାମାନଙ୍କର ବ୍ୟକ୍ତିତ୍ୱ ଗଢ଼ା ହେବାର ସୁସ୍ଥତା ବା ଅସୁସ୍ଥତା ଅନେକ ପରିମାଣରେ ନିର୍ଭର କରେ, ଏକଥା ବୁଝି ସେସବୁ ଦେଶର ଲୋକେ ସେ ଦେଶର ପ୍ରାଥମିକ ଶିକ୍ଷକମାନଙ୍କୁ ଯଥାଯୋଗ୍ୟ ସମ୍ମାନ ଓ ସମ୍ପନ୍ନତା ଦେବାରେ କୌଣସି ପ୍ରକାର କୃପଣତା କରିନାହାନ୍ତି । ସେଠାରେ ଗାଆଁ ପ୍ରାଇମେରୀ ସ୍କୁଲରେ ଜଣେ ଶିକ୍ଷକଙ୍କର ଆପଣାଲାଗି ମଟରଗାଡ଼ି ରଖିବାର ସମ୍ବଳ ମଧ୍ୟ ରହିଛି । ଶିକ୍ଷକମାନଙ୍କର ରହିବା ସକାଶେ ଗାଆଁ ମାନଙ୍କରେ ସ୍କୁଲ ହତା ଭିତରେ ରହିବାଘର ପ୍ରଭୃତି ଯୋଗାଇ ଦିଆଯାଏ । ସେଠାରେ ସ୍କୁଲର ପରିଚାଳକ ଓ ପିଲାମାନଙ୍କର ଅଭିଭାବକମାନେ ଶିକ୍ଷକଙ୍କୁ ଜଣେ ସମ୍ମାନାସ୍ପଦ ବ୍ୟକ୍ତିରୂପେ ଜ୍ଞାନ କରନ୍ତି, ଗାଆଁର ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କୁ ନେତୃସ୍ଥାନୀୟ ବୋଲି ମାନନ୍ତି । ଆମ ଦେଶପରି ସେମାନଙ୍କୁ ବେଖାତିର କରିନ୍ତିନାହିଁ ବା ସ୍ଥାନୀୟ ରାଜନୀତିରେ ଆପଣାର ମତଲବ ଗୁଡ଼ାକୁ ସିଦ୍ଧ କରିବା ଲାଗି ସେମାନଙ୍କୁ ହାତବାରିସି କରି ବ୍ୟବହାର କରନ୍ତିନାହିଁ ।

 

ବିଦେଶରେ ଶିକ୍ଷକଙ୍କର ବେତନ ବେଶୀ ବୋଲି ଯେ ସେଠି ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ବେଶୀ ପାଠପଢ଼ା ହୁଏ, ସେକଥା କହିଲେ ମଧ୍ୟ ଆଦୌ ସତକଥା କୁହା ହେବନାହିଁ । ଆମ ଦେଶରେ ମାସକୁ ଛଅଶହ ଟଙ୍କା ବେତନ ପାଇବାକୁ ଏକ ମହାନ୍ ସୌଭାଗ୍ୟ ଲାଭ କରିବା ପରି ମନେହେବା ସ୍ୱାଭାବିକ । କିନ୍ତୁ ପଶ୍ଚିମ ଜର୍ମାନୀରେ ମଧ୍ୟ ପ୍ରାଥମିକ ସ୍କୁଲରେ ଶିକ୍ଷକର କାର୍ଯ୍ୟ କରିବାକୁ ଅଧିକାଂଶ ଲୋକ ଆଦୌ ଖୁବ୍ ବଡ଼ ଆଖିରେ ଦେଖନ୍ତିନାହିଁ । ସେଠି ସମସ୍ତେ ଆହୁରି ଅଧିକ ବେତନ ମିଳୁଥିବା କ୍ଷେତ୍ରରେ ପ୍ରବେଶ କରିବାକୁ ଇଚ୍ଛା କରୁଥାନ୍ତି । ହୁଏତ ସେହି କାରଣରୁ ହିଁ ଜର୍ମାନୀର ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଆଜି ସତୁରି ହଜାର ଶିକ୍ଷକଙ୍କର ଅଭାବ ରହିଛି ଓ ସେହି ଅଭାବ କ୍ରମଶଃ ବଢ଼ିବଢ଼ି ଚାଲିଛି । ଆମ ଦେଶରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଆମ ଦେଶର ପ୍ରାଥମିକ ଶିକ୍ଷକ ମାନଙ୍କର ବେତନ ଅନୁପାତରେ ବେଶ୍ ମୋଟା ବେତନ ପାଇଥାନ୍ତି । ବିଦେଶରେ ଏହି ଅନୁପାତଠାରୁ ଆମ ଦେଶର ଅନୁପାତ ଅନେକ ଗୁଣ ବେଶୀ ହେବ । କିନ୍ତୁ ଆମ ଦେଶର ଅଧ୍ୟାପକମାନଙ୍କ ମଧ୍ୟରୁ ଅଧିକାଂଶ କି ପାଠ ପଢ଼ାନ୍ତି ବା ଦେଶରେ ଉଚ୍ଚ ଶିକ୍ଷାର ଆଦର ଏବଂ ଆଦର୍ଶର ସମୃଦ୍ଧି ପାଇଁ କି ଉଦ୍ୟମ କରନ୍ତି ! ଶିକ୍ଷାଳୟରେ ଶିକ୍ଷାର ମାନ ଓ ଜୀବନଗଠନର ମାନ ବଢ଼ିବା କେବଳ ବେଦନ ବୃଦ୍ଧି ପାଇବା ଉପରେ ନିର୍ଭର କରେ ନାହିଁ । ଏହି ପ୍ରଶ୍ନର ଆଲୋଚନା କଲେ ଆମକୁ ସାମାଜିକ ଓ ମନୋବୈଜ୍ଞାନିକ ଅନେକ କ୍ଷେତ୍ରରେ କାରଣଗୁଡ଼ିକର ଅନୁସନ୍ଧାନ କରିବାକୁ ପଡ଼ିବ । ଏହି ପ୍ରବନ୍ଧରେ ତାହା କରିବା ସମ୍ଭବ ନୁହେଁ ।

 

ବିଦେଶର ଓ ଆମ ଦେଶର ପ୍ରାଥମିକ ବିଦ୍ୟାଳୟମାନଙ୍କ ମଧ୍ୟରେ ଗୋଟାଏ ବଡ଼ ପାର୍ଥକ୍ୟ ସବାଆଗ ନଜରରେ ପଡ଼ିଥାଏ । ଭଲ ଶିକ୍ଷକ ସେଠି ଅଛନ୍ତି, ଆମ ଦେଶରେ ବି ଅଛନ୍ତି । ସବୁ ସୁବିଧାଥାଇ ମଧ୍ୟ ସେଠି ଜଣେ ଜଣେ ଶିକ୍ଷକ ଆପଣାର କାର୍ଯ୍ୟରେ ଖୁବ୍ ବେଶୀ ଆଗ୍ରହ ପ୍ରକାଶ ନକରୁଥିବା ପରି ବେଶ୍ ମନେ ହୋଇଥାଏ । ଏଠାରେ ଆମ ଦେଶରେ ଶିକ୍ଷାଦାନଗତ ବିଶେଷ ଅନେକ ସୁବିଧା ନଥାଇ ମଧ୍ୟ ଆଗ୍ରହୀ ଏବଂ ଉଦ୍ୟମୀ ଶିକ୍ଷକ ତଥାପି ଦେଖିବାକୁ ମିଳନ୍ତି କିନ୍ତୁ ଗୋଟାଏ ପାର୍ଥକ୍ୟ ଅବଶ୍ୟ ଆସି ଆଖିରେ ପଡ଼ିଯାଏ । ସେଠି ଶିକ୍ଷକମାନେ ପିଲାମାନଙ୍କ ସହିତ ମଣିଷ ପରି ବ୍ୟବହାର କରନ୍ତି, ସେମାନଙ୍କର ସହିତ ଭଦ୍ରଲୋକ ପରି ବ୍ୟବହାର କରନ୍ତି । ଆମ ଦେଶରେ ଶିକ୍ଷକମାନେ ପିଲାମାନଙ୍କୁ କେବଳ ଯେ ଗଧ ବୋଲି ସମ୍ଭାଷଣ କରନ୍ତି ତାହା ନୁହେଁ । ସେମାନଙ୍କ ସହିତ ଗଧପରି ବ୍ୟବହାର ବି କରନ୍ତି । ତାଲିମପ୍ରାପ୍ତ ଶିକ୍ଷକମାନେ ମଧ୍ୟ ସେହିପରି କରନ୍ତି । କେବଳ ପ୍ରାଥମିକ ସ୍କୁଲରେ ନୁହେଁ, ବିଶ୍ୱବିଦ୍ୟାଳୟର ସ୍ତର ପର୍ଯ୍ୟନ୍ତ ମଧ୍ୟ କରିଥାନ୍ତି । ଆମ ଦେଶର ସାମାଜିକ ଧର୍ମ ଅନୁସାରେ ଆମ ପୁଣ୍ୟର ପୁରସ୍କାର ସ୍ୱରୂପ ଭଗବାନ ଆମକୁ ସନ୍ତାନ ଦେଇ ଥାଆନ୍ତି । ସେମାନଙ୍କୁ ଆମେ ଜଣେ ଜଣେ ବିକାଶମାନ ମଣିଷ ବୋଲି ଯେତେ ନଭାବୁ, ଆମର ସମ୍ପତ୍ତି ବୋଲି ତା’ଠାରୁ ଅଧିକ ଭାବିଥାଉ । ଆମ ଜାତୀୟ ଶିକ୍ଷକ ଆସ୍ଥାନଗୁଡ଼ିକୁ ମଧ୍ୟ ସେହି ମନୋଦୃଷ୍ଟି ସଂକ୍ରମିତ କରି ରଖିଥାଏ । ଆମେ ଶିକ୍ଷକମାନେ ବି ସାଧାରଣତଃ ଆମ ଉପରେ ବିଶ୍ୱାସ ରଖିଥିବା ପିଲାମାନଙ୍କୁ ଆମର ସମ୍ପତ୍ତି ପରି ଭାବୁ, ମାଟିଗୋଡ଼ି ପରି ଭାବୁ, ସେମାନଙ୍କ ଆଗରେ ଆପଣାର ନାନା ବୟସ୍କତା ଓ ପ୍ରମତ୍ତତା ଦେଖାଇ ଆମେ ସେମାନଙ୍କୁ ହୀନ ବୋଲି ଦେଖାଇ ଦେବାର ଭାରି ଚେଷ୍ଟାମାନ କରିଥାଉ ସେମାନଙ୍କର ସକଳ ବିଶ୍ୱାସରେ ଗୁଡ଼ାଏ ଭୟ ମିଶାଇ ଦୂଷିତ କରିପକାଉ । ସେମାନଙ୍କର ସକଳ ଶିଖିବାକୁ ଆମେ ପ୍ରଧାନତଃ କଥା ମାନିବା ଏବଂ ପାଠ ମୁଖସ୍ଥ କରିବାରେ ପର୍ଯ୍ୟବେସିତ କରି ରଖୁ । ମନୁଷ୍ୟ ଶିଶୁର ସ୍ୱାଭାବିକ ନିର୍ଭରଶୀଳତାର ଆମେ ଏକ ଅତିହୀନ ପରାବଲମ୍ବନ-ପ୍ରବୃତ୍ତିରେ ପରିଣତ କରିଦେଉ । କିନ୍ତୁ ଇଉରୋପର ବିଦ୍ୟାଳୟ ମାନଙ୍କରେ ସାଧାରଣତଃ ସେପରି ଦେଖାଯାଏନାହିଁ । ସେଠାରେ ପିଲାମାନେ ଆମ ଦେଶର ପିଲାମାନଙ୍କ ଠାରୁ ତା’ ଇସ୍କୁଲରେ ଅଧିକ ସ୍ୱାଧୀନତା ପାଏ-। ଅଧିକ ମନୁଷ୍ୟୋଚିତ ସମ୍ମାନ ପାଏ, ଅଧିକ ଦାୟିତ୍ୱ ନେଇଶିଖେ ଏବଂ ତେଣୁ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ବଢ଼େ । ବିଦ୍ୟାଳୟରେ ମଧ୍ୟ ସିଏ ଆପଣ ଜୀବନକୁ ଆପେ ଗଢ଼ିବାର ପ୍ରେରଣା ପାଏ ।

 

ଆମ ଦେଶର ଶିକ୍ଷକମାନେ ପିଲାମାନଙ୍କୁ ପ୍ରଧାନତଃ ଗଧପରି ଦେଖନ୍ତି; ତାହାର କାରଣ ହେଉଛି ଯେ, ଶିକ୍ଷକ ହେବାକୁ ତାଲିମ ପାଇଲାବେଳେ ସେମାନେ ମଧ୍ୟ ପ୍ରଧାନତଃ ଗଧପରି ତାଲିମ ଓ ଗଧପରି ବ୍ୟବହାର ପାଆନ୍ତି । ଏହିଭଳି ଏକ ଅନୁମାନ କରିବାପାଇଁ ପ୍ରକୃତରେ ଯଥେଷ୍ଟ କାରଣ ରହିଛି । ତାଲିମ ସମୟରେ ଏଠି ଜଣେ ଶିକ୍ଷକକୁ ଶିକ୍ଷାଦାନ କୌଶଳମାନ ଶିଖାଇ ଦିଆଯାଏ ସତ, ମାତ୍ର ଶିକ୍ଷକର ବ୍ୟକ୍ତିତ୍ୱ ବିକାଶ ସକାଶେ ସେପରି କୌଣସି ଚେଷ୍ଟା କରାଯାଏ କି ? ସେମାନଙ୍କୁ ପ୍ରଧାନତଃ ପାଠ ପଢ଼ାଇବାର ଏକ ଯନ୍ତ୍ରପରି ବ୍ୟବହାର କରାଯାଏ । କିନ୍ତୁ, ସେମାନେ ଦାୟିତ୍ୱସମ୍ପନ୍ନ ଓ ସମ୍ମାନର ଯୋଗ୍ୟ ମଣିଷ ହିସାବରେ ଆପଣକୁ ପ୍ରସ୍ତୁତ କରିବାର ତାଲିମ ଖୁବ୍ କ୍ୱଚିତ୍ ପାଇଥାନ୍ତି । ଫଳତଃ, ପ୍ରଶିକ୍ଷଣ ପରେ ବିଦ୍ୟାଳୟ ଗୁଡ଼ିକୁ ପାଠ ପଢ଼ାଇବାକୁ ଯାଇ ସେମାନେ ପିଲାମାନଙ୍କ ଉପରେ ସେହି ଅଭାବ ଓ ଅନ୍ୟାୟର ପ୍ରତିଶୋଧ ନିଅନ୍ତି । ଶିକ୍ଷା ନାମରେ ଏକ କୁଶିକ୍ଷାର ବିଷଚକ୍ର ବୁଲିବାରେ ଲାଗିଥାଏ ।

 

ଆମ ଦେଶରେ ପ୍ରଚଳିତ ଶିକ୍ଷାର ନିନ୍ଦା କଲେ ଶିକ୍ଷାର ଉନ୍ନତି ଯେ ହୁଏନାହିଁ, ସେକଥା ମୁଁ ଭଲ କରି ଜାଣିଛି । ତଥାପି ଆମର ଶିକ୍ଷା ବିଷୟରେ ଆମ ପ୍ରତ୍ୟେକଙ୍କର ଏକ ସମାଲୋଚନାମୂଳକ ଦୃଷ୍ଟିକୋଣ ଅବଶ୍ୟ ରହିଥିବା ଦରକାର । ମଣିଷକୁ ମଣିଷପରି ଦେଖି ପାରିବାକୁ ହେଲେ ଏହିପରି ଏକ ସମାଲୋଚନାମୂଳକ ଦୃଷ୍ଟିକୋଣ ଅର୍ଜନ କରିବାକୁ ପଡ଼େ । ଯାବତୀୟ ପ୍ରତିବନ୍ଧକ ସତ୍ତ୍ୱେ ଆମ ଦେଶରେ ତଥାପି ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ କି ଏକ ସ୍ୱାଭାବିକ ଓ ସ୍ୱଧର୍ମଗତ ଆଗ୍ରହ ନେଇ ଶିକ୍ଷକ ହେବାକୁ ଆସିଥାନ୍ତି, ଯେଉଁମାନେ ଆପଣାର ଧନ୍ଦାଟିକୁ ପ୍ରକୃତରେ ଭଲ ପାଆନ୍ତି, ଯେଉଁମାନେ ପିଲାମାନଙ୍କୁ ପ୍ରଧାନତଃ ଶ୍ରଦ୍ଧାର ସହିତ ପାଠ ପଢ଼ାନ୍ତି ଓ ଯେଉଁମାନେ ଦେଶ, ଶିକ୍ଷା ଓ ମଣିଷ ସମାଜର ଭବିଷ୍ୟତ ବିଷୟରେ ତଥାପି ବିଶ୍ୱାସ ହରାଇ ନଥାନ୍ତି । ଆମ ଦେଶର ଶିକ୍ଷା ସେହିମାନଙ୍କ ଦ୍ୱାରା ହିଁ ବଦଳିଯିବ । ଆମ ଦେଶର ସମାଜବ୍ୟବସ୍ଥା ବଦଳିଯାଇ ପାରିବ ଏବଂ ସେହିମାନଙ୍କ ଦ୍ୱାରା ହିଁ ଆମ ଦେଶର ପିଲାମାନେ ମଣିଷ ହେବେ ।

Image